Add parallel Print Page Options

ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
    ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
    କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
    ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
    ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
    ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେଥିପାଇଁ ମୋତେ ରକ୍ଷା କର।

ହେ ସଦାପ୍ରଭୁ,
    ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
    ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
    ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
    କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।

10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
    ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।