Add parallel Print Page Options

ସଦାପ୍ରଭୁଙ୍କ ମନ୍ଦିରରୁ ଜଳ ନିର୍ଗତ ହେବ

47 ଅନନ୍ତର ସେ ମୋତେ ଫେରାଇ ମନ୍ଦିରର ଦ୍ୱାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନରେ ତଳୁ ଜଳ ନିର୍ଗତ ହୋଇ ପୂର୍ବଦିଗରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସେହି ଜଳ ତଳୁ ମନ୍ଦିରର ଦକ୍ଷିଣପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। ଏବଂ ସେ ମୋତେ ଉତ୍ତର ଦ୍ୱାରର ପଥଦେଇ ବାହାରକୁ ଆଣିଲେ। ଆଉ ବାହାର ପଥଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଉପରଦେଇ ବାହାର ଦ୍ୱାରକୁ ନେଇଗଲେ। ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିବାର ମୁଁ ଦେଖିଲି।

ସେହି ବ୍ୟକ୍ତି ମାପ ଫିତା ଓ ନିଜ ହାତରେ ନେଇ ପୂର୍ବଆଡ଼େ ଗଲେ ଓ 1000 ହାତ ମାପିଲେ। ଆଉ ମୋତେ ସେ ଜଳ ମଧ୍ୟଦେଇ ଗମନ କରାଇଲେ। ଜଳ ଆଣ୍ଠୁଏ ପର୍ଯ୍ୟନ୍ତ ହେଲା। ପୁଣି ସେ 1000 ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର 1000 ହାତ ମାପିଲେ ଓ ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ ଅଣ୍ଟା ପର୍ଯ୍ୟନ୍ତ ହେଲା। ତାହାପରେ ସେ ଆଉ 1000 ହାତ ମାପିଲେ। ସେତେବେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ୟଦେଇ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥା’ନ୍ତା, କିନ୍ତୁ କେହି ପାର ହୋଇ ପାରିବେ ନାହିଁ। ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଏହା ଦେଖିଲ କି?”

ତହୁଁ ସେ ମୋତେ ଫେରାଇ ନଦୀ ତୀରକୁ ଆଣିଲେ। ମୁଁ ଫେରି ଆସିଲା ବେଳେ ନଦୀ ତୀରର ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି। ଲୋକଟି ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହୋଇ ଆରବ୍ବାକୁ ଯିବ, ଆଉ ତାହା ମୃତ ସମୁଦ୍ରକୁ ଯିବ, ଏବଂ ଯେତେବେଳେ ଏହା ସମୁଦ୍ରରେ ପ୍ରବେଶ କରେ, ଏହାର ଜଳ ନିର୍ମଳ ହୋଇଯାଏ। ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ। ଆଉ ଯେଉଁ ସ୍ଥାନ ଦେଇ ଏହା ପ୍ରବାହିତ ହେବ, ସେ ସ୍ଥାନରେ ସମସ୍ତେ ସଂଜୀବିତ ହେବେ। 10 ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ୟଧରାଳି ଠିଆ ହୋଇଥିବାର ଦେଖି ପାରିବ। ଐନ-ଗଦୀଠାରୁ ଐନ-ଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପକାଇବାର ସ୍ଥାନ ହେବ। ସେଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ୟସାଗରର ମାଛ ପରି ଅନେକ ପ୍ରକାର ହେବେ। 11 ମାତ୍ର ସେ ସ୍ଥାନରେ ପଙ୍କ ଓ ଝିଲ ଭୂମିସବୁ ଉତ୍ତମ ହେବ ନାହିଁ, ସେହିସବୁ ଲବଣ ପାଇଁ ସମର୍ପିତ ହେବ। 12 ନଦୀର ଉଭୟ ପାର୍ଶ୍ୱରେ ସବୁପ୍ରକାର ଖାଦ୍ୟ ଉପଯୋଗୀ ଫଳବୃକ୍ଷ ହେବ ଓ ସେଗୁଡ଼ିକର ପତ୍ର ମଳିନ ହେବ ନାହିଁ ଏବଂ ଫଳର ଅଭାବ ହେବ ନାହିଁ। କାରଣ ସେହି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳରେ ବଢ଼ିଥିବା ହେତୁ ପ୍ରତି ମାସରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ୟାର୍ଥେ ଔଷଧ ରୂପେ ବ୍ୟବହୃତ ହେବ।”

ବିଭିନ୍ନ ଗୋଷ୍ଠୀ ନିମନ୍ତେ ଭୂମି ବଣ୍ଟନ

13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ। 14 ତୁମ୍ଭେମାନେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦେବା ପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭେମାନେ ଅଧିକାର କରିବ।

15 “ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହି‌ତ୍‌ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ। 16 ହମାତ୍, ବରୋଥା, ଦମ୍ମେଶକ ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହ‌‌ତ୍‌‌ତ୍ସର ହତ୍ତୀକୋନ୍। 17 ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହ‌‌ତ୍‌‌ସର-ଐନନ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତର ସୀମା। ଏହା ଉତ୍ତର ସୀମା।

18 “ପୂର୍ବ ଦିଗର ସୀମା ହାମୋର, ନୋନ୍ ମଧ୍ୟରେ ହୌରଣ, ଦମ୍ମେଶକ ଦେଇ ଯର୍ଦ୍ଦନ ନଦୀ ଦେଇ ଗିଲିୟଦ ଓ ଇସ୍ରାଏଲ ମଧ୍ୟଦେଇ ଯିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିୟଦ। ଆଉ ଇସ୍ରାଏଲର ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା ହେବ।

19 “ପୁଣି ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

20 “ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।

21 “ତୁମ୍ଭେମାନେ ଇସ୍ରାଏଲର ପରିବାରବର୍ଗଙ୍କ ମଧ୍ୟରେ ଏହି ଦେଶ ଭାଗ କରିବ। 22 ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର। 23 ସେମାନେ ନିଜର ବାସ କରୁଥିବା ପରିବାରବର୍ଗ ଅନୁସାରେ ଅଧିକାର ପାଇବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।