Add parallel Print Page Options

ସଦାପ୍ରଭୁ ଇସ୍ରାଏଲକୁ ଆଗେଇ ନେବା ପାଇଁ ଯିହୋଶୂୟଙ୍କୁ ବାଛିଲେ

ମୋଶା ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପୁତ୍ର ଯିହୋଶୂୟ ମୋଶାଙ୍କର ପରିଗ୍ଭରକ ଥିଲେ। ମୋଶାଙ୍କର ମୃତ୍ୟୁ ପରେ, ସଦାପ୍ରଭୁ ଯିହୋଶୂୟକୁ କହିଲେ. “ମୋର ସେବକ ମୋଶାର ମୃତ୍ୟୁ ହୋଇଅଛି। ବର୍ତ୍ତମାନ ତୁମ୍ଭେ ଏହି ଲୋକମାନଙ୍କୁ ନେଇ ଯର୍ଦ୍ଦନ ନଦୀ ପାର ହୋଇ ଯାଅ। ମୁଁ ଯେଉଁ ଦେଶସବୁ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ କହିଅଛି, ତୁମ୍ଭେ ସେହି ଦେଶକୁ ଯାଅ। ଯେଉଁ ଯେଉଁ ସ୍ଥାନରେ ତୁମ୍ଭର ପାଦ ପଡ଼ିବ, ସେ ସବୁ ସ୍ଥାନ ମୁଁ ମୋଶା ସହିତ କରିଥିବା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କୁ ଦେବି। ହିତ୍ତୀୟମାନଙ୍କ ସମସ୍ତ ଦେଶ ସହିତ ଭୂମଧ୍ୟସାଗର ପର୍ଯ୍ୟନ୍ତ ଓ ପଶ୍ଚିମରେ ମହାନ ଫରାତ୍ ନଦୀ ପାଖର ମରୁଭୂମି ଓ ଲିବାନୋ‌ନ୍‌ର ସମସ୍ତ ଭୂମି ତୁମ୍ଭର ହେବ। ମୁଁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମୋଶା ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କେହି ସମର୍ଥ ହୋଇ ପାରିବେ ନାହିଁ। ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ମୁଁ ତୁମ୍ଭକୁ ପରିତ୍ୟାଗ କରିବି ନାହିଁ।

“ଯିହୋଶୂୟ, ତୁମ୍ଭେ ବଳବାନ୍ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗେଇ ନିଅ, ଯେପରି କି ସେମାନେ ସେମାନଙ୍କର ଦେଶ ଅଧିକାର କରି ପାରିବେ। ମୁଁ ତାଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଯେ, ମୁଁ ସେମାନଙ୍କୁ ସେହି ଦେଶ ଦେବି। କିନ୍ତୁ ତୁମ୍ଭେ ବଳବାନ ଓ ସାହସୀ ହୁଅ। ଅନ୍ୟ କଥା ମାନିବାକୁ ତୁମ୍ଭେ ନିଶ୍ଚିତ ମୋର ଦାସ ମୋଶାଙ୍କର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତେବେ ତୁମ୍ଭେ ଯେଉଁ କର୍ମ କରିବ ସେଥିରେ ଉତ୍ତୀର୍ଣ୍ଣ ହେବ। ସର୍ବଦା ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ସମ୍ମୁଖରୁ ବିଚଳିତ ନ ହେଉ। ଦିନରାତି ଏହି ନିୟମ ପୁସ୍ତକକୁ ପଠନ କର। ତେବେ ତୁମ୍ଭେ ନିଶ୍ଚିତ ହୋଇ ପାରିବ। ଏହି ନିୟମକୁ ପାଳନ କର, ଯାହା ଏହି ପୁସ୍ତକରେ ଲେଖା ହୋଇ ଅଛି। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେ ବୁଦ୍ଧିମାନ ଓ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେବ, ଯାହା ତୁମ୍ଭେ କରିବ। ମନେରଖ, ମୁଁ ତୁମ୍ଭକୁ ସାହସୀ ଓ ଶକ୍ତିଶାଳୀ ହେବା ପାଇଁ ନିର୍ଦ୍ଦେଶ ଦେଇଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”

ଯିହୋଶୂୟ ଆଦେଶ ଦେଲେ

10 ତେଣୁ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, 11 “ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯଥେଷ୍ଟ ସାମଗ୍ରୀ ପ୍ରସ୍ତୁତ କର। ତିନି ଦିନ ମଧ୍ୟରେ ଆମ୍ଭକୁ ଯର୍ଦ୍ଦନ ନଦୀ ପାର ହୋଇଯିବାକୁ ହେବ। ଆମ୍ଭେମାନେ ଯିବୁ ଏବଂ ସେହି ଦେଶ ଅଧିକାର କରିବୁ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି।’”

12 ତା’ପରେ ଯିହୋଶୂୟ ରୁବେନୀୟ ଗୋଷ୍ଠୀବର୍ଗଙ୍କୁ ଓ ଗାଦୀୟ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କୁ କହିଲେ, 13 “ମନେରଖ, ସଦାପ୍ରଭୁଙ୍କର ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦେବେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦେବେ। 14 ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ଯର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦେଇଛନ୍ତି। ସେମାନେ ସେଠାରେ ସେମାନଙ୍କର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ରରେ ସୁସଜ୍ଜିତ ହୋଇ ଯର୍ଦ୍ଦନ ନଦୀ ପାର ହେବା ଉଚିତ୍। ତୁମ୍ଭେ ସେମାନଙ୍କୁ ସେମାନଙ୍କ ଭୂମି ଫେରାଇବା ପାଇଁ କରୁଥିବା ଯୁଦ୍ଧରେ ସାହାଯ୍ୟ କରିବା ଉଚିତ୍। 15 ସଦାପ୍ରଭୁ ତୁମ୍ଭକୁ ବିଶ୍ରାମ କରିବା ପାଇଁ ଏକ ବିଶ୍ରାମ ସ୍ଥାନ ଦେଇଛନ୍ତି। ଏବଂ ତୁମ୍ଭମାନଙ୍କ ଭାଇମାନଙ୍କ ପାଇଁ ସେ ତାହା କରିବେ, କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବ, ସେମାନେ ସ୍ଥାନ ଅଧିକାର କରିବା ପର୍ଯ୍ୟନ୍ତ, ଯାହାକି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଦେଇଛନ୍ତି। ତା’ପରେ ତୁମ୍ଭେ ଯର୍ଦ୍ଦନର ପୂର୍ବରେ ଅବସ୍ଥିତ ତୁମ୍ଭର ସ୍ୱଦେଶକୁ ଫେରି ଆସିବ। ଯାହାକି ସଦାପ୍ରଭୁଙ୍କର ଦାସ ମୋଶା ତୁମ୍ଭକୁ ଦେଇଛନ୍ତି।”

16 ତା’ପରେ ଯିହୋଶୂୟଙ୍କୁ ଉତ୍ତର ଦେଇ ଲୋକମାନେ କହିଲେ, “ତୁମ୍ଭେ ଆମ୍ଭକୁ ଯେଉଁ ଆଦେଶ ଦେଇଅଛ, ଆମ୍ଭେ ତାହା ପାଳନ କରିବୁ। ତୁମ୍ଭେ ଯେଉଁଠାକୁ କହିବ, ଆମ୍ଭେ ଯିବୁ। 17 ଆମ୍ଭେମାନେ ତୁମ୍ଭଙ୍କୁ ମାନିବୁ, ଯେପରି ଆମ୍ଭେ ମୋଶାଙ୍କୁ ମାନିଥିଲୁ। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ରୁହନ୍ତୁ ଯେପରି ମୋଶାଙ୍କ ସହିତ ଥିଲେ। 18 ସେଥିପାଇଁ ଯଦି କୌଣସି ଲୋକ ତୁମ୍ଭଙ୍କୁ ଅବମାନନା କରେ ଅବା କୌଣସି ଲୋକ ତୁମ୍ଭର ବିରୁଦ୍ଧାଚରଣ କରେ, ସେ ଲୋକକୁ ହତ୍ୟା କରାଯିବ। ତେଣୁ ସାହସୀ ଓ ଶକ୍ତିଶାଳୀ ହୁଅ।”