Add parallel Print Page Options

ପ୍ରତିମାପୂଜା ବିରୁଦ୍ଧରେ ସତର୍କବାଣୀ

20 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଉ ମଧ୍ୟ ତୁମ୍ଭ ଇସ୍ରାଏଲ ସନ୍ତାନଗଣଙ୍କୁ କହିବ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କେହି ହେଉ କିମ୍ବା ସେମାନଙ୍କ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ୟରୁ କେହି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାକୁ ପଥର ମାରି ହତ୍ୟା କରିବେ। ମୁଁ ମଧ୍ୟ ତା’ ବିରୁଦ୍ଧରେ ଛିଡ଼ା ହେବି। ତା’ର ଦେଶର ଲୋକମାନଙ୍କଠାରୁ ପୃଥକ ରଖିବି। କାରଣ ସେ ମୋର ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମୋର ପବିତ୍ର ନାମକୁ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ନିଜର ସନ୍ତାନମାନଙ୍କୁ ଦେଇଅଛି। ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାଯିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି, ତେବେ ମୁଁ ସେହି ଲୋକ ବିରୁଦ୍ଧରେ ଓ ତା’ର ବଂଶ ବିରୁଦ୍ଧରେ ଯିବି, ସେମାନଙ୍କର ମୋଲକ୍ ଦେବତା ସହିତ ଜଡ଼ିତ ହେବା କାରଣରୁ, ତା’ର ଦେଶବାସୀଠାରୁ ତାକୁ ଓ ତା’ର ଅନୁସରଣକାରୀମାନଙ୍କୁ ଦୂରେଇ ରଖିବି।

“ଯେଉଁ ଲୋକ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ବ୍ୟଭିଗ୍ଭର କରିବାକୁ ଅନୁସରଣ କରେ, ସେହି ପ୍ରାଣୀ ବିରୁଦ୍ଧରେ ଆମ୍ଭେ ଯିବା। ଯେହେତୁ ସେ ଆମ୍ଭ ପ୍ରତି ଅବିଶ୍ୱସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ୟରୁ ପୃଥକ ରଖିବା।

“ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ମନେରଖ, ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କରିବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କୁ ପବିତ୍ର କଲି।

“ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ।

ଯୌନ ସମ୍ପର୍କୀୟ ପାପଗୁଡ଼ିକ ପାଇଁ ଦଣ୍ଡ

10 “ଯଦି କୌଣସି ପୁରୁଷ ତା’ର ପ୍ରତିବାସୀର ଭାର୍ଯ୍ୟା ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ୟଭିଗ୍ଭର ପାଇଁ ଅପରାଧୀ ଓ ଉଭୟେ ମୃତ୍ୟୁବରଣ କରିବା ଉଚିତ୍। 11 ଯଦି କୌଣସି ବ୍ୟକ୍ତି ତା’ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା’ର ପିତାର ଅଟେ।

12 “ଯଦି କୌଣସି ଲୋକ ତା’ର ପୁତ୍ରବଧୂ ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ହତ୍ୟା କରାଯିବା ଉଚିତ୍। ସେମାନେ ଅତି ଜଘନ୍ୟ ଅପରାଧ କରିଛନ୍ତି ଓ ସେମାନେ ମୃତ୍ୟୁଦଣ୍ଡ ପାଇବେ।

13 “ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀଲୋକ ପରି ଯୌନ ସମ୍ପର୍କ ରଖେ, ତେବେ ସେମାନେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସେମାନେ ମୃତ୍ୟୁଦଣ୍ଡ ପାଇବା ଉଚିତ୍। ସେମାନେ ସେମାନଙ୍କର ଅପରାଧ ବହନ କରିବେ।

14 “ଯଦି କେହି କୌଣସି ସ୍ତ୍ରୀ ସହିତ ଓ ତା’ର ମାତା ସହିତ ଯୌନକ୍ରିୟା କରେ, ତେବେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବ। ଏପରି ଜଘନ୍ୟ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧ୍ୟରେ ନ ହୁଏ।

15 “ଯଦି କେହି କୌଣସି ପଶୁକୁ ସଙ୍ଗମ କରେ, ତେବେ ସେ ନିଶ୍ଚୟ ହତ ହେବ ଓ ତୁମ୍ଭେମାନେ ମଧ୍ୟ ସେହି ପଶୁକୁ ବଧ କରିବ। 16 ଯେବେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତେବେ ସେହି ସ୍ତ୍ରୀ ଓ ସେହି ପଶୁ ଉଭୟଙ୍କୁ ବଧ କରାଯିବ। ସେମାନେ ନିଶ୍ଚିତ ହତ ହେବେ। ସେମାନଙ୍କର ମୃତ୍ୟୁଜନିତ ଅପରାଧ ପାଇଁ ସେମାନେ ଦାୟୀ ହେବେ।

17 “ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା’ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା’ର ପରିଣାମ ଭୋଗ କରିବ।

18 “ଯଦି କେହି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖେ, ତେବେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍। ସେମାନେ ଅପରାଧୀ କାରଣ ସେମାନେ ତା’ର ମାସିକ କ୍ଷରଣ ଅନାବୃତ କରିଛନ୍ତି।

19 “ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସମ୍ପର୍କୀୟ ସହିତ ଅପରାଧ ହେବ ଓ ସେଥିପାଇଁ ସେମାନେ ନିଜ ନିଜ ଅପରାଧ ବହନ କରିବେ।

20 “ଜଣେ ବ୍ୟକ୍ତି ନିଜ କକାର ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖିବ, ଏହା କରିବା ଦ୍ୱାରା ସେ ତାଙ୍କର କକାକୁ ଅସମ୍ମାନ ଦେଖାଇବ। ସେହି ସ୍ତ୍ରୀର ଶାରୀରିକ ସମ୍ପର୍କ, ସେ ଲୋକର କକା ପାଇଁ ଆରକ୍ଷିତା। ଉଭୟେ ପୁତୁରା ଓ ଖୁଢ଼ୀ ଅପରାଧ ପାଇଁ ଦଣ୍ଡିତ ହେବେ ଓ ସେମାନେ ନିଃସନ୍ତାନ ହୋଇ ମରିବେ।

21 “ଯଦି କେହି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ଯ୍ୟ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସେହି ସ୍ତ୍ରୀ ତା’ର ଭାଇର ଅଟେ। ସେମାନଙ୍କର ସନ୍ତାନ ଜନ୍ମ ହେବ ନାହିଁ।

22 “ଏଣୁ ତୁମ୍ଭେମାନେ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ବିଧି ମାନ୍ୟ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶରେ ବାସ କରିବାକୁ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉ‌ଦ୍‌ଗାର କରିବ ନାହିଁ। 23 ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ତଡ଼ି ଦେଉଛୁ, ସେମାନଙ୍କ ଆଚରଣ ତୁମ୍ଭେମାନେ କରିବ ନାହିଁ। କାରଣ ସେମାନେ ସେହିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସେମାନଙ୍କୁ ଘୃଣା କଲୁ। 24 ମୁଁ ତୁମ୍ଭଙ୍କୁ କହିଲି, ସେମାନଙ୍କର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠାରେ ଦୁଧ ଓ ମଧୁ ବହି ଯାଉଥାଏ।

“ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ଏବଂ ମୁଁ ଅନ୍ୟ ଦେଶଗୁଡ଼ିକଠାରୁ ତୁମ୍ଭମାନଙ୍କୁ ପୃଥକ କଲି। 25 ତେଣୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପ୍ରଭେଦ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉରୋଗାମୀ ପ୍ରାଣୀ ମଧ୍ୟ ଖାଇବ ନାହିଁ। ଆମ୍ଭେ ସେଗୁଡ଼ିକୁ ଘୃଣାଯୋଗ୍ୟ କରିଅଛୁ। 26 ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭେମାନେ ଯେପରି ଆମ୍ଭର ହେବ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ କରିଅଛୁ।

27 “ଯେଉଁ ପୁରୁଷ ବା ସ୍ତ୍ରୀ ଭୂତୁଡ଼ିଆ ବା ଗୁଣିଆ ହେବ ସେମାନେ ନିଶ୍ଚୟ ହତ ହେବେ। ଲୋକମାନେ ସେମାନଙ୍କୁ ପଥର ଫିଙ୍ଗି ବଧ କରିବେ। ସେମାନେ ନିଶ୍ଚିତ ନିହତ ହେବେ।”